Page:Bhasa o Jatiyata.pdf/36

This page has not been proofread.

(ଭିଏତ୍ ନାମ), କାମ୍ବୋଜ (କାମ୍ବୋଡିଆ)ର ସାଗର କୂଳେକୂଳେ ଦୀର୍ଘ ପଥଧରି ଯିବା ଅପେକ୍ଷା ଗୋଦାବରୀ, କୃଷ୍ଣା, କାବେରୀ ନଦୀତଟକୁ ସହଜପଥ ଭାବେ ଗ୍ରହଣକରି ନିଜ ବାଣିଜ୍ୟିକ ପସରା ମେଲାଇ ଦେଇଥିବେ । ଏ କାର୍ଯ୍ୟରେ ସହାୟତାପାଇଁ ବାଣିଜ୍ୟ ଅନଭିଜ୍ଞ ତଥା ସଭ୍ୟତାଠାରୁ ଦୂରରେ ଥିବା ଦାକ୍ଷିଣାତ୍ୟ ଅଧିବାସୀଙ୍କୁ କାମରେ ଲଗାଇବା ଆରମ୍ଭ କରିଥିବେ ତତ୍କାଳୀନ କଳିଙ୍ଗର ବଣିକଗୋଷ୍ଠୀ । ଯାହାକି ପରବର୍ତ୍ତୀ କାଳରେ ଏମାନେ କଳିଙ୍ଗବାସୀଠାରୁ ବିଭିନ୍ନ ବାଣିଜ୍ୟିକ କୌଶଳ, ବସ୍ତୁ ନିର୍ମାଣକଳା ଓ ଶିଳ୍ପ ଉତ୍ପାଦନ ଆଦି ଶିକ୍ଷାକରି ନିଜ ବ୍ୟବସାୟିକ ସଂଘ ଗଠନ ମାଧ୍ୟମରେ କଳିଙ୍ଗ ବଣିକଗୋଷ୍ଠୀର ପ୍ରତିଦ୍ୱନ୍ଦ୍ୱୀ ସାଜିଥିଲେ କିମ୍ବା କର୍ମଚାରୀ ସଂଘ ଗଢ଼ି କଳିଙ୍ଗ ବାଣିଜ୍ୟ ବ୍ୟବସାୟରେ ବାଧା ସୃଷ୍ଟି କରୁଥିଲେ । ବୋଧହୁଏ ଏହିଭଳି ଗଠିତ ସଂଘକୁ ନିର୍ଦ୍ଧୟ ଭାବରେ କଳିଙ୍ଗ ସମ୍ରାଟ ଖାରବେଳ ଧ୍ୱଂସ କରିଥିଲେ ବୋଲି ହାତୀଗୁମ୍ଫା ଶିଳାଲେଖରୁ ଜଣାପଡ଼େ । ପୁନଶ୍ଚ କାବେରୀଠାରୁ ଗଙ୍ଗାନଦୀ ପର୍ଯ୍ୟନ୍ତ ସମଗ୍ର ପୂର୍ବ ଉପକୂଳରେ ଗଠିତ ବନ୍ଦର ଓ ବନ୍ଦରଭିତ୍ତିକ ସହର ନିର୍ମାଣଶୈଳୀ ଏକା ପ୍ରକାରର ତଥା ଏଠାରୁ ପ୍ରାପ୍ତ ବିଭିନ୍ନ ବାଣିଜ୍ୟିକ ଚିହ୍ନ ସମାନ ଥିବାରୁ ଯେକୌଣସି ଗୋଟିଏ ଜାତିଦ୍ୱାରା ଏହା ପରିଚାଳିତ ହୋଇଥିବା ସମ୍ଭବ । ସେ ସମୟରେ ପୂର୍ବ ଉପକୂଳରେ କେବଳ କଳିଙ୍ଗ ହିଁ ଏକମାତ୍ର ଶ୍ରେଷ୍ଠ ବାଣିଜ୍ୟିକ ଜାତିଥିବାରୁ ଉକ୍ତ ଭୂଭାଗ କଳିଙ୍ଗ ଅଧିବାସୀଙ୍କଦ୍ୱାରା ପରିଚାଳିତ ହେଉଥିଲା କହିଲେ ଭୁଲ ହେବ ନାହିଁ । ଏଥିସହିତ ଏପର୍ଯ୍ୟନ୍ତ ସେଭଳି କୌଣସି ଅଭିଲେଖ କିମ୍ବା ପ୍ରତ୍ନତାତ୍ତ୍ୱିକ ଆବିଷ୍କାର ହୋଇନାହିଁ, ଯାହାକି ବହୁ ପ୍ରାଚୀନ କାଳରୁ ତାମିଲଙ୍କଦ୍ୱାରା ଦକ୍ଷିଣ ଭାରତର ବାଣିଜ୍ୟ ବ୍ୟବସାୟ ପରିଚାଳିତ ହେଉଥିଲା । କେବଳମାତ୍ର ସାହିତ୍ୟିକ ସାକ୍ଷୀ (ଯାହା ଅନୁମାନ ଉପରେ ପର୍ଯ୍ୟବସିତ ଓ ବର୍ତ୍ତମାନ ପରିପ୍ରେକ୍ଷୀରେ ଭ୍ରମାତ୍ମକ ମଧ୍ୟ)କୁ ଆଧାର କରି ଏହାକୁ ପ୍ରମାଣ କରାଯାଇଛି । ବରଂ ଏହି ଆଧାରକୁ ଭିତ୍ତିକରି କଳିଙ୍ଗ ବଣିକଙ୍କଦ୍ୱାରା ଦାକ୍ଷିଣାତ୍ୟର ବାଣିଜ୍ୟ ବ୍ୟବସାୟ ପରିଚାଳିତ ହେଉଥିଲା କହିଲେ ନିଶ୍ଚିତ ଭାବେ ଅଧିକ ଯୁକ୍ତିସଂଗତ ହେବ ।

ଯଦିଓ ଏହାର କିଛି ବଳିଷ୍ଠ ପ୍ରମାଣ ଏପର୍ଯ୍ୟନ୍ତ ହସ୍ତଗତ ହୋଇନାହିଁ କିମ୍ବା ସମୃଦ୍ଧଶାଳୀ ଦାକ୍ଷିଣାତ୍ୟର ଜାତିପ୍ରେମୀ ଗବେଷକ ବିପକ୍ଷରେ ଗରୀବ ଓଡ଼ିଆରାଜ୍ୟର ଗବେଷକଙ୍କ ତୁଣ୍ଡ ଖୋଲିବାକୁ ଏପର୍ଯ୍ୟନ୍ତ ସାହସ ଜୁଟାଇ ପାରିନାହାଁନ୍ତି । କିନ୍ତୁ ଏକଥା ସତ୍ୟ ଯେ, ଦୁଇଚାରିଟି ଦୃଷ୍ଟାନ୍ତକୁ ଛାଡ଼ି ଦେଲେ ପଞ୍ଚଦଶ ଶତାବ୍ଦୀ ପର୍ଯ୍ୟନ୍ତ ଅର୍ଥାତ୍ ଦୀର୍ଘ ୨ଶହ ବର୍ଷ ଧରି ଓଡ଼ିଶାର ଶାସକ ଉତ୍ତର ଓ ପଶ୍ଚିମ ଭାରତ ଅପେକ୍ଷା ଦାକ୍ଷିଣାତ୍ୟ ବିଜୟକୁ ଅଧିକ ଗୁରୁତ୍ୱ ଦେଉଥିଲେ ଏବଂ ବାରମ୍ବାର ଓଡ଼ିଶାର ସୀମା ଗଙ୍ଗାଠାରୁ କାବେରୀ; ଏପରିକି ରାମେଶ୍ୱର ପର୍ଯ୍ୟନ୍ତ ବିସ୍ତାର କରିବାକୁ ନିଜର ଗୌରବ ମଣୁଥିଲେ । ନିଜମାଟି ପ୍ରତି ମୋହଭାବ ନ ଥିଲେ କୌଣସି ଜାତି ବା ବ୍ୟକ୍ତି କେବେ କ’ଣ ଏହାକୁ ଅଧିକାର କରିବାକୁ ମନ ବଳାଇବ?

ଦୃଢ଼ରାଜନୈତିକ ଭିତ୍ତିଭୂମି ମାଧ୍ୟମରେ ବିକଶିତ ହୋଇଥାଏ ଭାଷା, ସାହିତ୍ୟ ଓ ସଂସ୍କୃତି । ଏହା ହିଁ ଗୋଟିଏ ଜାତିକୁ ଯୁଗଯୁଗ ଧରି ଚିହ୍ନିତ କରିଥାଏ । ଏହି ଦୃଷ୍ଟିରୁ ବିଚାର