Page:Bhasa o Jatiyata.pdf/37

This page has not been proofread.

କଲେ କେଉଁ ଭାଷା ପ୍ରାଚୀନ-ତେଲୁଗୁ, ତାମିଲ ନା ଓଡ଼ିଆ! ଓଡ଼ିଆଜାତିର ବିକଶିତ ଅବସ୍ଥା ବେଳକୁ ତାମିଲଜାତିର ଅଭ୍ୟୁଦୋୟ । ତେଲୁଗୁର ଅସ୍ତିତ୍ୱ ନ ଥିଲା କହିଲେ ଭୁଲ୍ ହେବନାହିଁ । ସେଥିପାଇଁ ସେମାନେ ଅନାର୍ଯ୍ୟ ବୋଲି ହୀନମନ୍ୟତାର ଶିକାରହୋଇ ଉତ୍ତର-ଦକ୍ଷିଣ ନୀତିରେ ନିଜକୁ ଏପର୍ଯ୍ୟନ୍ତ ବିଭକ୍ତ କରିଚାଲିଛନ୍ତି । ନିଜ ଭାଷା, ସାହିତ୍ୟ, ସଂସ୍କୃତିକୁ ପ୍ରାଚୀନ ବୋଲି ପ୍ରମାଣିତ କରିବାକୁ ଯାଇ ବ୍ରିଟେନ* ଭଳି ବହୁବାର ଅପଦସ୍ଥ ହୋଇଛନ୍ତି । ତଥାପି ସେମାନଙ୍କ ରାଜନୈତିକ ଏକତା ଯୋଗୁଁ ସର୍ବଭାରତୀୟକ୍ଷେତ୍ରରେ ଚାପ ସୃଷ୍ଟିକରି କାର୍ଯ୍ୟ ହାସଲ କରିବାରେ ସଫଳ ହୋଇଛନ୍ତି । ଶିକ୍ଷା, ଯୋଗାଯୋଗ ପ୍ରଭୃତି କ୍ଷେତ୍ରରେ କେନ୍ଦ୍ର ସରକାରଠାରୁ ପ୍ରାଥମିକତା ଭିତ୍ତିରେ ସମସ୍ତ ସୁବିଧା ହାସଲ କରିବା ପରେ ଏବେ ଭାଷାକୁ ସର୍ବଭାରତୀୟ ସ୍ତରରେ ବିଶ୍ୱମୁଖୀ କରିବାପାଇଁ ଯେଉଁ ଅଦମ୍ୟ ପ୍ରଚେଷ୍ଟା ଜାରି କରିଛନ୍ତି, ତାହାର ପ୍ରମାଣ ସ୍ୱରୂପ ତେଲୁଗୁ, ତାମିଲ ଭାଷାକୁ ଶାସ୍ତ୍ରୀୟ ଭାଷା ମାନ୍ୟତା ପ୍ରଦାନ ହାସଲ କରାଇବା ।

ତେବେ ସେମାନଙ୍କର ଏ ସଫଳତା ପଛରେ ଯେଉଁ କେତୋଟି ପ୍ରମୁଖ କାରଣ ରହିଛି ତାହା ହେଉଛି ପାରସ୍ପରିକ ସମନ୍ୱୟ, ସୁଦୃଢ଼ ଆର୍ଥିକ ସ୍ଥିତି, ମାତୃଭାଷା ପ୍ରତି ଆଦର, ନିଜ ସଂସ୍କୃତି ପ୍ରତି ସମ୍ମାନବୋଧ, ଉନ୍ନତପ୍ରଣାଳୀର ଶିକ୍ଷାବ୍ୟବସ୍ଥା, ରାଜ୍ୟ ଓ କେନ୍ଦ୍ର ଅଧୀନସ୍ଥ ବିଭିନ୍ନ ସରକାରୀ ବେସରକାରୀ ସ୍ତରରେ ଉଚ୍ଚପଦପଦବୀରେ ନିଯୁକ୍ତି, ଜାତିପ୍ରୀତି, ସର୍ବୋପରି କାର୍ଯ୍ୟହାସଲ କରିବାରେ କଳାକୌଶଳର ବ୍ୟାପକ ପ୍ରୟୋଗ । ତେଣୁ ସେମାନଙ୍କର ଭାଷା, ସାହିତ୍ୟ, ସଂସ୍କୃତି ନିଶ୍ଚିତ ଉନ୍ନତ ହେବ, ଏଥିରେ ଦ୍ୱିମତ ନାହିଁ । ଆମ ଭାଷା ଓ ସାହିତ୍ୟ, ସଂସ୍କୃତି ଯେତେ ପ୍ରାଚୀନ, ସମୃଦ୍ଧ ଓ ବୈଜ୍ଞାନିକ ପଦ୍ଧତିଯୁକ୍ତ ହୋଇଥିଲେ ମଧ୍ୟ ଉପରୋକ୍ତ କାରଣ ମଧ୍ୟରୁ ଗୋଟିଏ ବି ଆମମାନଙ୍କଠାରେ ନ ଥିବାରୁ ଆମେ ଅବହେଳିତ ହୋଇପଡିଛନ୍ତି । ଅନ୍ୟମାନେ ଆମକୁ ପାଦରେ ଦଳିମକଚି ଆଗକୁ ଚାଲିଯାଉଛନ୍ତି । ଆମରି ସମ୍ପତ୍ତିକୁ ସେମାନେ ବ୍ୟବହାର କରି ଧନୀ ପାଲଟି ଯାଉଛନ୍ତି । ଆମେ ଗରିବ ହୋଇ ଦାଦନ ସାଜି କେବଳ ନୀରବ ଆର୍ତ୍ତନାଦ କରୁଛୁ । ଯାହାର ଶବ୍ଦ କେବଳ ଆମକୁ ହିଁ ଶୁଭୁଛି । ଏଭଳିକ୍ଷେତ୍ରରେ ଆମକୁ ଇଂରେଜମାନଙ୍କ ଦୟାସୂତ୍ରରେ ମିଳିଥିବା ୭୫ବର୍ଷର ଓଡ଼ିଶା କି ପ୍ରକାରର ସମୃଦ୍ଧି ହେବ? ଓଡ଼ିଆଭାଷା ଶାସ୍ତ୍ରୀୟ ମାନ୍ୟତା ଦାବି କରିବା ତ ଦୂରର କଥା, ଏହି ଭାଷାର ଛାତି ଉପରେ ଅନ୍ୟ ଭାଷା କିପରି ବିକଶିତ ହେବ ସେ ବିଷୟରେ ଆମ ଶିକ୍ଷିତଗଣ ଅଧିକ ଗୁରୁତ୍ୱ ଦେଉଛନ୍ତି । ତେଣୁ ଭାରତ ସରକାରଙ୍କଠାରୁ ଓଡ଼ିଆଭାଷାର ଶାସ୍ତ୍ରୀୟ ମାନ୍ୟତା ହାସଲ କରିବାରେ ଆମେ ଓଡ଼ିଆଏ ସଫଳ ହୋଇପାରିବା ତ?

  • ବ୍ରିଟେନ୍ ନିଜକୁ ଆଦିମ ମାନବ ସଭ୍ୟତାର ଉତ୍ତରାଧିକାରୀ ଭାବେ ପ୍ରମାଣିତ

କରିବାକୁ ଯାଇ ପିଞ୍ଚଡାଉନ ନାମକ ସ୍ଥାନରୁ ଏକ ପ୍ରାଚୀନ ମାନବ କଙ୍କାଳ ଆବିଷ୍କାର କରିଛନ୍ତି ବୋଲି ଦାବିକଲେ, ଯାହା ପିଞ୍ଚଡାଉନ ମାନବ ଭାବେ ଖ୍ୟାତ । ତେବେ ପରବର୍ତ୍ତୀକାଳରେ ଏହି ମାନବ ଜୀବାଶ୍ମ ସମ୍ପର୍କରେ ଅଧିକ ଗବେଷଣା ହେବାରୁ ଏଥିରେ ଜାଲିଆତି ହୋଇଥିବାର ପ୍ରମାଣ ମିଳିଲା । ତେଣୁ ଏହାକୁ ଜାଲିଆତି ମାନବ କଙ୍କାଳ ମଧ୍ୟ କୁହାଯାଏ ।